ବଳଙ୍ଗା, ୧୭/୧୦: ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଶୁକ୍ରବାର ରାତିରେ ବଳଙ୍ଗା ଥାନା ଅନ୍ତର୍ଗତ ଚୋରପଡ଼ା ଠାରେ ରଥ ପୁରୁଷୋତ୍ତମପୁର ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ୩ଜଣ ଦୁର୍ବୃତ୍ତ ଆକ୍ରମଣ ଉଦ୍ୟମ କରିଛନ୍ତି। ଖବର ପାଇ ବଳଙ୍ଗା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିବାରୁ ୨ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଥିଲା ବେଳେ ପୋଲିସ ଜଣଙ୍କୁ ଥାନାକୁ ଆଣି ଅଟକ ରଖିଛି। ଏନେଇ ସମିତି ସଭ୍ୟ ସନ୍ତୋଷ ସାହୁ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସମିତି ସଭ୍ୟ ସନ୍ତୋଷ ସାହୁ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ଗତକାଲି ରାତିରେ ସନ୍ତୋଷ ଓ ସରପଞ୍ଚ ସୁବାଷ ପଲ୍ଲେଇଙ୍କ ସହିତ ଏକ ସ୍କର୍ପିଓ ଗାଡ଼ିରେ ରୂପଦେଇପୁର ସ୍ଥିତ ଏକ ହୋଟେଲକୁ ଖାଇବା ପାଇଁ ଯାଉଥିଲେ। ଚୋରପଡ଼ା ଠାରେ ପୁର୍ବ ପ୍ରସ୍ତୁତି ଅନୁଯାୟୀ ବାଲିଗାଁ ଗ୍ରାମର ଟୁଟୁ ବେହେରା, ଅସିତ୍ ପଣ୍ଡା ଓ ଚୋରପଡ଼ା ଗ୍ରାମର ସହଦେବ ପୋଲେଇ ହଠାତ୍ ଗାଡ଼ି ଆଗକୁ ଆସି ଅଟକାଇଥିଲେ। ସନ୍ତୋଷଙ୍କ କହିବା ଅନୁସାରେ ଡ୍ରାଇଭର ଗାଡ଼ି ରଖିବା କ୍ଷଣି ଆସାମୀ ମାନେ ପାଖରେ ଲୁଚାଇ ରଖିଥିବା ତଡା ବାଡ଼ି ଓ କଟୁରୀକୁ ହାତରେ ଧରି ଗାଡ଼ି ଚାରିପଟେ ଘେରିଘେରି ଯାଇ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରି ଗାଡ଼ିକୁ ଗୋଇଠା ମାରିଥିଲେ। ଆସାମୀ ଟୁଟୁ ବେହେରା ସନ୍ତୋଷଙ୍କୁ ଧମକ ଦେଇ ଗାଡିରୁ ବାହାରିବା କହିଥିଲା। ସେ ହାତରେ କଟୁରୀ ଧରିଥିବାରୁ ଭୟରେ ସନ୍ତୋଷ ବାହାରକୁ ବାହାରି ନଥିଲେ। ଏହି ସମୟରେ ସନ୍ତୋଷ ବଳଙ୍ଗା ଥାନାକୁ ଫୋନ କରିବାରେ ଆସାମୀ ମାନେ ସନ୍ତୋଷ ଓ ସୁବାଷଙ୍କୁ ବମ ପକାଇ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ଦେଖି ଆସାମୀ ମାନେ ଦୌଡ଼ି ପକାଇବାକୁ ବସିଥିଲା ବେଳେ ପୋଲିସ ଟିମ ଅସିତ୍ ପଣ୍ଡାକୁ କାବୁ କରି ଥାନାକୁ ଆଣିଥିଲା ବୋଲି ଅଭିଯୋଗରେ ଦର୍ଶାଯାଇଛି।
0 Comments