ଶହେ ବର୍ଷର ପୁରୁଣା ସାପ୍ତାହିକ ହାଟ ଉଚ୍ଛେଦ: ନୋଟିସକୁ ନେଇ ବିବାଦ, ୨୦୦ରୁ ଅଧିକ ଦୋକାନ ଭାଙ୍ଗିଲା ପ୍ରଶାସନ

୨୪ ଜଣଙ୍କୁ ନୋଟିସ, କିନ୍ତୁ ଉଚ୍ଛେଦ ହେଲା ୨୦୦ରୁ ଅଧିକ ଦୋକାନ; କ୍ଷତିପୂରଣ ଓ ଥଇଥାନ ଦାବିରେ ବ୍ୟବସାୟୀ

ନିମାପଡ଼ା :ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଅଧୀନରେ ଥିବା ଶତାବ୍ଦୀ ପୁରୁଣା ସାପ୍ତାହିକ ହାଟକୁ ଶନିବାର ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ବ୍ୟବସାୟୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ସାପ୍ତାହିକ ହାଟ ଉପରେ ନିମାପଡ଼ା ଏନଏସି ସମେତ ଆଖପାଖ ଅଞ୍ଚଳର ୫୦ ହଜାରରୁ ଅଧିକ ଲୋକ ନିର୍ଭରଶୀଳ। ପ୍ରାୟ ୨୦୦ରୁ ଅଧିକ ଚାଷୀ ଓ ବ୍ୟବସାୟୀ ଏଠାରେ ପରିବା, ଖାଦ୍ୟ ସାମଗ୍ରୀ ଏବଂ ବିଭିନ୍ନ ଜିନିଷ ବିକ୍ରି କରି ନିଜ ପରିବାରର ଜୀବିକା ନିର୍ବାହ କରୁଥିଲେ। କିଛି ଦିନ ପୂର୍ବରୁ ରାସ୍ତା ପାର୍ଶ୍ୱରେ ଥିବା ୨୪ ଜଣ ବ୍ୟବସାୟୀଙ୍କୁ ଏନ୍ଏସି ପକ୍ଷରୁ ଉଚ୍ଛେଦ ନୋଟିସ ଜାରି କରାଯାଇଥିଲା। କିନ୍ତୁ ହାଟ ଭିତରେ ଥିବା ୨୦୦ରୁ ଅଧିକ ଦୋକାନକୁ ବିନା ନୋଟିସରେ ଭାଙ୍ଗି ଦିଆଯାଇଥିବା ନେଇ ହାଟ କମିଟି ର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ସମେତ  ସମସ୍ତ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ଉଚ୍ଛେଦ ଫଳରେ ସେମାନଙ୍କର ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ସହ ସେମାନେ କ୍ଷତିପୂରଣ ଓ ବିକଳ୍ପ ଥଇଥାନ ବ୍ୟବସ୍ଥା ଦାବି କରିଛନ୍ତି। ଏହି ଘଟଣା ସମ୍ପର୍କରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଦାସଙ୍କୁ ପଚାରିବାରୁ ସେ ଗଣମାଧ୍ୟମ ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଘଟଣାସ୍ଥଳ ଛାଡ଼ି ଚାଲିଯାଇଥିଲେ। ଅନ୍ୟପଟେ ନିୟନ୍ତ୍ରିତ ବଜାର କମିଟି (RMC) ସମ୍ପାଦକ ସୁଶାନ୍ତ ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଉଚ୍ଛେଦ ପାଇଁ ଏନଏସିକୁ ପୂର୍ବରୁ ନୋଟିସ ଦିଆଯାଇଥିଲା ଏବଂ ସମସ୍ତ ବ୍ୟବସାୟୀଙ୍କୁ ମଧ୍ୟ ନୋଟିସ ପ୍ରଦାନ କରାଯାଇଥିଲା। ଉଚ୍ଛେଦ ହୋଇଥିବା ବ୍ୟବସାୟୀମାନଙ୍କ ପାଇଁ ବିକଳ୍ପ ଥଇଥାନ ବ୍ୟବସ୍ଥା କରାଯିବ ବୋଲି କମିଟି ପକ୍ଷରୁ ଆଶ୍ୱାସନ ଦିଆଯାଇଛି।


Post a Comment

0 Comments