ନିମାପଡ଼ା, (K24X7): ନିମାପଡ଼ାର ଆରାଧ୍ୟ ଦେବତା ମହାପ୍ରଭୁ ପତିତପାବନଙ୍କ ପବିତ୍ର ନବଯୌବନ ଦର୍ଶନ ମଙ୍ଗଳବାର ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି। ସ୍ନାନଯାତ୍ରା ପରେ ଅସୁସ୍ଥତା କାରଣରୁ ଦୀର୍ଘ ୧୫ ଦିନ ଧରି ଅଣସରରେ ରହିଥିବା ମହାପ୍ରଭୁ ଅମାବାସ୍ୟା ତିଥିରେ ବଡ଼ସିଂହାର ବେଶରେ ଭକ୍ତମାନଙ୍କୁ ଦିବ୍ୟ ଦର୍ଶନ ଦେଇଥିଲେ। ଦୀର୍ଘଦିନ ପରେ ପ୍ରଭୁଙ୍କ ଦର୍ଶନ ପାଇ ଭକ୍ତମାନଙ୍କ ମନରେ ଅପାର ଆନନ୍ଦ ଓ ଆଧ୍ୟାତ୍ମିକ ଉତ୍ସାହ ଦେଖିବାକୁ ମିଳିଥିଲା। ପ୍ରାତଃକାଳରୁ ଅବକାଶ, ଚନ୍ଦନ ଓ ତୁଳସୀ ଲାଗି ନୀତି ସମ୍ପନ୍ନ ହେବା ପରେ ମଧ୍ୟାହ୍ନରେ ମନ୍ଦିର ଶୋଧ କରାଯାଇ ଦ୍ୱିପ୍ରହର ଧୂପ ନୀତି ପାଳନ କରାଯାଇଥିଲା। ସନ୍ଧ୍ୟାରେ ଆଳତୀ, ମଇଲମ ଓ ଧୂପ ନୀତି ପରେ ମହାପ୍ରଭୁଙ୍କୁ ଆକର୍ଷଣୀୟ ବଡ଼ସିଂହାର ବେଶରେ ସଜାଯାଇଥିଲା। ଏହି ଦିବ୍ୟ ବେଶ ଦର୍ଶନ ପାଇଁ ସକାଳୁଠାରୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲାଗି ରହିଥିଲା। ସନ୍ଧ୍ୟା ପରେ ଭକ୍ତଙ୍କ ସମାଗମ ଆହୁରି ବୃଦ୍ଧି ପାଇଥିଲା। ସ୍ନାନଯାତ୍ରା ପରେ ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ଅଣସର ସମୟରେ ଗୁପ୍ତନୀତି ପାଳନ କରାଯାଇଥିଲା। ଏହି ସମୟରେ ସାଧାରଣ ଭକ୍ତମାନେ ଦର୍ଶନରୁ ବଞ୍ଚିତ ରହିଥିବାରୁ ପ୍ରଭୁଙ୍କ ନବଯୌବନ ଦର୍ଶନକୁ ନେଇ ସମସ୍ତଙ୍କ ମଧ୍ୟରେ ଅସୀମ ଆଗ୍ରହ ଓ ଅପେକ୍ଷା ଦେଖାଯାଇଥିଲା। ମନ୍ଦିର ପୂଜକ ଲକ୍ଷ୍ମୀଧର ଦାଶ ସୂଚନା ଦେଇଛନ୍ତି ଯେ ଆସନ୍ତାକାଲି ମହାପ୍ରଭୁଙ୍କ ଉଭାଯାତ୍ରା ନୀତି ଅନୁଷ୍ଠିତ ହେବ। ଏହାପରେ ଗୁରୁବାର ପବିତ୍ର ଘୋଷଯାତ୍ରା ନୀତି ଭକ୍ତି ଓ ଆଡ଼ମ୍ବର ସହ ପାଳନ କରାଯିବ। ଏହାକୁ ନେଇ ନିମାପଡ଼ା ସହ ସମଗ୍ର ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।

0 Comments