ନିମାପଡ଼ା ପ୍ରେସ କ୍ଲବର ସାଧାରଣ ପରିଷଦ ବୈଠକ: ୯ ସଦସ୍ୟ ବହିଷ୍କୃତ; ନୂଆ ପରିଚାଳନା, ଉପଦେଷ୍ଟା ଓ ଶୃଙ୍ଖଳା କମିଟି ଗଠନ

 

ନିମାପଡ଼ା, ୧୨/୦୭ : ନିମାପଡ଼ା ପ୍ରେସ କ୍ଲବର ସାଧାରଣ ପରିଷଦ ବୈଠକ ଶନିବାର ପୂର୍ବାହ୍ନରେ ସ୍ଥାନୀୟ ଏକ ଘରୋଇ ମଣ୍ଡପରେ ସଭାପତି ଅକ୍ଷୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ କ୍ଲବର ବାର୍ଷିକ ଆୟବ୍ୟୟର ହିସାବ ଉପସ୍ଥାପନ ଓ ଅନୁମୋଦନ କରାଯିବା ସହ ପରିଚାଳନା, ଉପଦେଷ୍ଟା ଏବଂ ଶୃଙ୍ଖଳା କମିଟି ଗଠନ କରାଯାଇଥିଲା।ବୈଠକରେ କିଛି ସଦସ୍ୟଙ୍କ ବିରୋଧରେ ସଂଘବିରୋଧୀ କାର୍ଯ୍ୟକଳାପରେ ଜଡ଼ିତ ଥିବା ଅଭିଯୋଗ ଆଲୋଚନାକୁ ଆସିଥିଲା। ଏହାପରେ ସର୍ବସମ୍ମତିକ୍ରମେ ଚିତ୍ତରଞ୍ଜନ ମହାନ୍ତି (ବୁଢ଼ା), ଅଶୋକ ବେହେରା, ଶାନ୍ତନୁ ମହାନ୍ତି, ନିବେଦିତା ମିଶ୍ର, ରଞ୍ଜନ ଦାସ, ବିବେକାନନ୍ଦ ସେଠୀ, ସୁକାନ୍ତ କରଙ୍କ ସମେତ ମୋଟ ୯ ଜଣ ସଦସ୍ୟଙ୍କୁ ପ୍ରେସ କ୍ଲବରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା।ନୂତନ ପରିଚାଳନା କମିଟିରେ ସଭାପତିଙ୍କ ସମେତ ୧୨ ଜଣ ସଦସ୍ୟ ସ୍ଥାନ ପାଇଥିବାବେଳେ ବିଚିତ୍ରାନନ୍ଦ ସାହୁଙ୍କ ସମେତ ୫ ଜଣଙ୍କୁ ନେଇ ଶୃଙ୍ଖଳା କମିଟି ଗଠନ କରାଯାଇଛି। ସେହିପରି ଯୁବ ସମାଜସେବୀ କ୍ଷତିଶ ପ୍ରସାଦ ମହାନ୍ତି, ସତ୍ୟେନ୍ଦ୍ର ମୋହନ ମହାନ୍ତିଙ୍କ ସମେତ ୬ ଜଣଙ୍କୁ ନେଇ ଉପଦେଷ୍ଟା କମିଟି ଗଠନ କରାଯାଇଛି। ବୈଠକରେ ଦୀର୍ଘଦିନ ଧରି ଅସୁସ୍ଥ ଥିବା ପ୍ରେସ କ୍ଲବର ସଦସ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

Post a Comment

0 Comments