୭୫ ଲକ୍ଷ ଟଙ୍କାର ହାଇମାଷ୍ଟ ଆଲୋକୀକରଣ ବେବସ୍ଥା: ଝଲସିବ ନିମାପଡ଼ା, ଅଗଷ୍ଟରେ ଲୋକାର୍ପଣ

 


ନିମାପଡ଼ା : ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ରୂପରେଖା ଓ ଭିତ୍ତିଭୂମି ବିକାଶରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ସହରର ପ୍ରମୁଖ ଛକ ଓ ଜନବହୁଳ ଅଞ୍ଚଳଗୁଡ଼ିକୁ ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରିବା ପାଇଁ ପ୍ରାୟ ୭୫ ଲକ୍ଷ ଟଙ୍କା ବ୍ୟୟରେ ୩୦ଟି ଅତ୍ୟାଧୁନିକ ହାଇମାଷ୍ଟ ଲାଇଟ୍ ସ୍ଥାପନ କରାଯିବ। ସ୍ଥାନୀୟ ଏନ୍ଏସି କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ଜୟଶ୍ରୀ ଛକ, ବଡ଼ବଜାର, ଓମ୍‌ଫେଡ୍ ଛକ, ପାଟପୁର ଛକ, ଟାଉନ୍ କ୍ଲବ୍ ଛକ, ପୂର୍ଣ୍ଣେଶ୍ୱରୀ ମନ୍ଦିର ଛକ, ଡିଏଭି ସ୍କୁଲ ଛକ ସମେତ ବିଭିନ୍ନ ୱାର୍ଡର ପ୍ରମୁଖ ସ୍ଥାନରେ ଏହି ହାଇମାଷ୍ଟ ଲାଇଟ୍ ଲାଗିବ। ପ୍ରତ୍ୟେକ ହାଇମାଷ୍ଟର ଆନୁମାନିକ ବ୍ୟୟ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ରହିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ରାତ୍ରି ସମୟରେ ସହରର ଆଲୋକୀକରଣ ବ୍ୟବସ୍ଥାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିବା ସହ ଜନସାଧାରଣଙ୍କ ସୁରକ୍ଷା, ଯାତାୟାତ ସୁବିଧା ଓ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଅଗଷ୍ଟ ମାସରେ ପାଳିତ ହେବାକୁ ଥିବା ସ୍ୱାୟତ୍ତ ଶାସନ ଦିବସ ଅବସରରେ ଏହି ଆଲୋକୀକରଣ ପ୍ରକଳ୍ପକୁ ଉପମୁଖ୍ୟମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ପ୍ରଭାତୀ ପରିଡ଼ା ଉଦ୍ଘାଟନ କରି ଲୋକାର୍ପଣ କରିବେ। ଏନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଦାସ ସୂଚନା ଦେଇଛନ୍ତି। ଏହି ଆଲୋକୀକରଣ ପ୍ରକଳ୍ପ ନିମାପଡ଼ା ଏନ୍ଏସିର ସହରୀ ବିକାଶ ଓ ଆଧୁନିକୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସ୍ଥାନୀୟ ମହଲରେ ମତ ପ୍ରକାଶ ପାଉଛି।

Post a Comment

0 Comments