ପୁଣି ନିମାପଡ଼ାରେ ଆତଙ୍କ, ଖାଇବା ବିଲ୍ ମାଗିବାରୁ ବାର କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ

 

ନିମାପଡ଼ା : ପୁରୀ ଜିଲ୍ଲା ନିମାପଡ଼ାରେ ପୁଣି ଏକ ହିଂସାତ୍ମକ ଘଟଣା ସାମ୍ନାକୁ ଆସିଛି। ଓମ୍ଫେଡ୍ ଛକ ନିକଟରେ ଥିବା ଜାକି ବାର ଓ ରେଷ୍ଟୁରାଣ୍ଟରେ ଖାଦ୍ୟର ବିଲ୍ ମାଗିବାକୁ କେନ୍ଦ୍ର କରି ଜଣେ କର୍ମଚାରୀଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଥିବା ନେଇ ନିମାପଡ଼ା ଥାନାରେ ଅଭିଯୋଗ ହୋଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଉତ୍ତେଜନା ଦେଖାଦେଇଛି। ଅଭିଯୋଗ ଅନୁଯାୟୀ, ଭଣ୍ଟିଗ୍ରାମର ଛବିଳ ପରିଡ଼ା ଜାକି ବାର ଓ ରେଷ୍ଟୁରାଣ୍ଟରେ ପାଣି ଓ ବୁଟସିଝା ଦୋକାନ ପରିଚାଳନା କରୁଥିଲେ। ମଙ୍ଗଳବାର ଅପରାହ୍ନରେ ଅଣ୍ଡିଆସାହି ଗ୍ରାମର ଗାନୁଆ ଓରଫ ଗଣେଶ ବେହେରା ଏବଂ ତାଙ୍କ ସହଯୋଗୀ ଖାଇସାରିବା ପରେ ବିଲ୍ ମାଗିବାରୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏପରିକି "ଆମେ କେଉଁଠି ଖାଇଲେ ଟଙ୍କା ଦେଉନାହୁଁ" ବୋଲି ଧମକ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଛବିଳ ପରିଡ଼ା ବିରୋଧ କରିବାରୁ ଦୁଇ ଅଭିଯୁକ୍ତ ମାରଣାସ୍ତ୍ରରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିବା କୁହାଯାଇଛି। ସେ ହାତରେ ଆଘାତକୁ ରୋକିବାକୁ ଚେଷ୍ଟା କରିବାରୁ ତାଙ୍କ ହାତ ଗୁରୁତର ଭାବେ କଟି ରକ୍ତାକ୍ତ ହୋଇଥିଲା। ଦୋକାନର ଅନ୍ୟ କର୍ମଚାରୀମାନେ ଧାଇଁ ଆସିବା ପରେ ଦୁଇ ଅଭିଯୁକ୍ତ ଏକ ଗାଡ଼ିରେ ଦ୍ରୁତଗତିରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ଅଭିଯୋଗ ପାଇବା ପରେ ନିମାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାର ପ୍ରକୃତ କାରଣ ଓ ଅଭିଯୁକ୍ତଙ୍କ ଗିରଫ ପାଇଁ ପୋଲିସ ପଦକ୍ଷେପ ନେଉଥିବା ଜଣାପଡ଼ିଛି। ନିମାପଡ଼ାରେ ବାରମ୍ବାର ଏଭଳି ହିଂସାତ୍ମକ ଘଟଣା ଘଟୁଥିବାରୁ ସ୍ଥାନୀୟ ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।

Post a Comment

0 Comments