ସାଇଡ୍‌ ନେବାକୁ କେନ୍ଦ୍ର କରି ରକ୍ତାକ୍ତ କାଣ୍ଡ : ବସ୍ ଚାଳକଙ୍କୁ ଛୁରାମାଡ଼, ବାଇକ୍ ଜବତ


ନିମାପଡ଼ା (K24X7),୧୩/୦୭: ସାମାନ୍ୟ ସାଇଡ୍‌ ନେବାକୁ କେନ୍ଦ୍ର କରି ଘଟିଛି ଚାଞ୍ଚଲ୍ୟକର ଆକ୍ରମଣ। ପୁରୀ ଜିଲ୍ଲା ନିମାପଡ଼ା–ଚାରିଛକ ମୁଖ୍ୟ ସଡ଼କର ଗୋଲେଇ ଛକ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ର ଚାଳକଙ୍କୁ ଦୁଇ ଦୁର୍ବୃତ୍ତ ଛୁରୀରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି। ଗୁରୁତର ଆହତ ଚାଳକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟାରେ ଦୁଇ ଯୁବକ ଏକ ମୋଟରସାଇକେଲରେ ଆସି ଯାତ୍ରୀବାହୀ ବସ୍‌କୁ ଓଭରଟେକ୍ କରିବାକୁ ଉଦ୍ୟମ କରିଥିଲେ। ବସ୍‌ ଚାଳକ ବିଳମ୍ବରେ ସାଇଡ୍‌ ଦେଇଥିବାରୁ ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଦୁର୍ବୃତ୍ତମାନେ ବସ୍‌ ସାମ୍ନାରେ ବାଇକ୍‌ ରଖି ଚାଳକଙ୍କୁ ଅତର୍କିତ ଭାବେ ଛୁରୀରେ ଆକ୍ରମଣ କରି ଘଟଣାସ୍ଥଳରୁ ପଳାଇଯାଇଥିଲେ। ଆକ୍ରମଣରେ ଚାଳକ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ତତ୍ପରତାରେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ମେଡିକାଲକୁ ପଠାଯାଇଥିଲା। ଘଟଣାର ସୂଚନା ପାଇ ନିମାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମୋଟରସାଇକେଲ ଜବତ କରିଛି। ଆକ୍ରମଣକାରୀଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପୋଲିସ ତଦନ୍ତ ଜୋରଦାର କରିଥିବା ଜଣାପଡ଼ିଛି। ଏଭଳି ମାରଣାନ୍ତକ ଆକ୍ରମଣ ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟ ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Post a Comment

0 Comments