ନିମାପଡ଼ା, ୦୪/୦୭ : ଲଗାଣ ବର୍ଷା ପ୍ରଭାବରେ ସମଗ୍ର ନିମାପଡ଼ା ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ମୁଖ୍ୟ ରାସ୍ତା, ବଜାର ଅଞ୍ଚଳ, ସରକାରୀ କାର୍ଯ୍ୟାଳୟ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବର୍ଷାଜଳ ଜମି ରହିଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅନେକ ସ୍ଥାନରେ ଏକରୁ ଦୁଇ ଫୁଟ ପର୍ଯ୍ୟନ୍ତ ପାଣି ଜମି ରହିଥିବାରୁ ଯାତାୟାତ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ନିମାପଡ଼ା ମୁଖ୍ୟ ରାସ୍ତା, ବଡ଼ବଜାର, ବ୍ଲକ ଛକରୁ ଡେଲଟା ବ୍ରିଜ୍ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବାରୁ ପଥଚାରୀ ଏବଂ ଦୁଇଚକିଆ ଯାନ ଚାଳକମାନେ ଅକଥନୀୟ ଦୁର୍ଭୋଗର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ସ୍କୁଲ ଓ କଲେଜକୁ ଯାଉଥିବା ଛାତ୍ରଛାତ୍ରୀମାନେ ବର୍ଷାଜଳ ଭିତରେ ଯାତାୟାତ କରିବାକୁ ବାଧ୍ୟ ହେଉଥିବାରୁ ସେମାନଙ୍କ ସୁରକ୍ଷାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ପାଣି ତଳେ ରାସ୍ତାର ଖାଲଖମା ଦେଖାଯାଉନଥିବାରୁ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଯାଇଛି। ଏପଟେ ନିମାପଡ଼ା ବଜାରରେ ବର୍ଷାଜଳ ନିଷ୍କାସନ ପାଇଁ ନିର୍ମାଣାଧୀନ ଡ୍ରେନେଜ୍ ପ୍ରକଳ୍ପର କାର୍ଯ୍ୟ ବିଳମ୍ବିତ ହୋଇଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ନିମାପଡ଼ା ବ୍ଲକ ଅଧ୍ୟକ୍ଷା ମଧ୍ୟ କହିଛନ୍ତି ଯେ ଡ୍ରେନେଜ୍ କାମ ସମୟରେ ସମ୍ପୂର୍ଣ୍ଣ ହୋଇନଥିବାରୁ ବର୍ଷା ପାଣି ବଜାର ଅଞ୍ଚଳରେ ଜମି ରହୁଛି। ସେ ଆହୁରି ଅଭିଯୋଗ କରିଛନ୍ତି ଯେ ତାଙ୍କ ଆବାସିକ ବାସଭବନ ଭିତରକୁ ମଧ୍ୟ ବର୍ଷାଜଳ ପ୍ରବେଶ କରୁଛି, ଯାହା ସମସ୍ୟାର ଗମ୍ଭୀରତାକୁ ସ୍ପଷ୍ଟ କରୁଛି।
କେବଳ ବଜାର ଅଞ୍ଚଳ ନୁହେଁ, ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଥାନା, ଆର୍ଆଇ କାର୍ଯ୍ୟାଳୟ, ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ବର୍ଷାଜଳ ଜମି ରହିଛି। ଏହା ଫଳରେ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକ ଓ କର୍ମଚାରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜରୁରୀ ସେବା ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ଦେଖାଦେଇଛି। ଅନ୍ୟପଟେ ନିମାପଡ଼ା ମୁଖ୍ୟ ରାସ୍ତା ଏବଂ ପୁରୁଣା ବସ୍ଷ୍ଟାଣ୍ଡ ନିକଟରେ ପ୍ରାୟ ଦୁଇ ଫୁଟ ଉଚ୍ଚରେ ପାଣି ଜମି ରହିଥିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି। ଅନେକ ଦୁଇଚକିଆ ଯାନ ଖସିପଡ଼ିବା ସହ ଛୋଟମୋଟ ଦୁର୍ଘଟଣା ଘଟୁଥିବା ମଧ୍ୟ ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ବ୍ୟବସାୟୀମାନଙ୍କ କହିବାନୁସାରେ, ଦୋକାନ ସମ୍ମୁଖରେ ପାଣି ଜମି ରହିବାରୁ ବ୍ୟବସାୟ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଛି। ବର୍ଷା ଋତୁର ଆରମ୍ଭରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଆଗାମୀ ଦିନରେ ଆହୁରି ଅଧିକ ବର୍ଷା ହେଲେ ଅବସ୍ଥା ସଙ୍ଗିନ ହୋଇପାରେ ବୋଲି ସ୍ଥାନୀୟବାସୀ ଆଶଙ୍କା ପ୍ରକାଶ କରିଛନ୍ତି। ସେମାନେ ତୁରନ୍ତ ଡ୍ରେନେଜ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ଜମି ରହିଥିବା ବର୍ଷାଜଳର ଶୀଘ୍ର ନିଷ୍କାସନ ବ୍ୟବସ୍ଥା କରିବା ସହ ନିମାପଡ଼ାର ଜଳନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ତତ୍ପରତାର ସହ ପଦକ୍ଷେପ ନେବାକୁ ଦାବି କରିଛନ୍ତି।


0 Comments