ନିମାପଡ଼ା, ୨୩/୦୪ : ଆଜି ପୂର୍ବାହ୍ନରେ ନିମାପଡ଼ା ଟାଉନ ହଲରେ ଭାରତୀୟ ଧାନ ଗବେଷଣା କେନ୍ଦ୍ର ହାଇଦ୍ରାବାଦ ଓ ଲ୍ୟାଣ୍ଡ ରେସ ଫାଇବ ଜି ଫାର୍ମିଙ୍ଗର ମିଳିତ ଆନୁକୁଲ୍ୟରେ ଅଧିକ ସାର ଓ କୀଟନାଶକ ଔଷଧ ପ୍ରୟୋଗ ନକରି କିପରି ଅନ୍ୟ ଉପାୟରେ ଅଧିକ ଧାନ ଅମଳ କରିହେବ ସେ ସମ୍ପର୍କରେ କୃଷକମାନଙ୍କୁ ସଚେତନତା କରିବା ପାଇଁ ପ୍ରଶିକ୍ଷଣ ଶିବିର ଓ କିଟ୍ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରାକ୍ତନ ମନ୍ତ୍ରୀ ତଥା ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାଶ, ବିଶିଷ୍ଟ ବୈଜ୍ଞାନିକ ଡଃ ଅମରେନ୍ଦ୍ର, ଡଃ ବ୍ରଜେନ୍ଦ୍ର, ଫାଇବ ଜି ଫାର୍ମିଙ୍ଗର ଆନ୍ତର୍ଜାତିକ ପରାମର୍ଶଦାତା ବୈଜ୍ଞାନିକ ଡଃ ଶୁଭାଶିଷ ବଳ, ଡଃ ପ୍ରଶାନ୍ତ କୁମାର ଶତପଥୀ, ଡଃ ଦୁର୍ଗା ପ୍ରସାଦ ବାରିକ ଓ ଡଃ ସ୍ବେତା ସିଂ ପ୍ରମୁଖ ଯୋଗଦେଇ କହିଥିଲେ ଯେ ଏପଟ ଅଞ୍ଚଳର ଚାଷୀମାନେ କେବଳ ଧାନଚାଷକୁ ପ୍ରାଧାନ୍ୟ ଦେଇଥାନ୍ତି। ତେଣୁ କିପରି ଧାନ ଅଧିକ ଅମଳ କରିହେବ ସେଥିପାଇଁ ଚାଷୀ ସିନ୍ଥେଟିକ ସାର ଓ କୀଟନାଶକ ପ୍ରୟୋଗ କରିବାରୁ ମାଟିର ଉର୍ବରତା ଦିନକୁ ଦିନ ହ୍ରାସ ପାଉଛି। ଯାହାଫଳରେ ଉତ୍ପାଦିତ ହେଉଥିବା ଶସ୍ୟକୁ ଖାଇ ଲୋକମାନେ ବିଭିନ୍ନ ପ୍ରକାର ଭୟଙ୍କର ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ଆମେ ବିଶମୁକ୍ତ ଧାନଚାଷ କରିବା ପାଇଁ ଯତ୍ନବାନ ହେବା ଉଚିତ ବୋଲି କହିଥିଲେ।ନୀଳ ହରିତ ଶୈବାଳ ଓ ଅଜୋଲା ନାମକ ଜଳ ଜାତୀୟ ଉଦ୍ଭିଦକୁ ପ୍ରୟୋଗ କରି କିପରି ଆମେ ଅଧିକ ଧାନ ଅମଳ କରିପାରିବେ ସେ ସମ୍ପର୍କରେ ଡଃ ବଳ ଗୁରୁତ୍ୱାରୋପ କରିଥିଲେ। ବିଶେଷକରି ଡଃ ବଳ ଦୀର୍ଘ ଦିନ ଧରି ଗବେଷଣା କରି ଏହି ତତ୍ତ୍ଵକୁ ସାର୍ବଜନୀନ କରିଛନ୍ତି। ମାଟିର ଗୁଣବତ୍ତାକୁ ପରିକ୍ଷା ପାଇଁ ଚାଷୀମାନଙ୍କୁ ଆଉ କୃଷି ବିଭାଗର ଲାବୋରେଟୋରୀ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ଏଥିପାଇଁ ଏହି ବୈଜ୍ଞାନିକମାନେ ଯେଉଁ କିଟ ଉଦ୍ଭାବନ କରିଛନ୍ତି ସେହି କିଟ୍ ଜରିଆରେ ଚାଷୀ ଘରେ ବସି ମାଟି ପରୀକ୍ଷା କରି ପାରିବେ ବୋଲି ବୈଜ୍ଞାନିକମାନେ କହିଥିଲେ। ଏହି ଶିବିରରେ ୩୨ ଟି ପଞ୍ଚାୟତରୁ ଯୋଗଦେଇଥିବା ୩୦୦ ରୁ ଉର୍ଦ୍ଧ୍ବ ଚାଷୀମାନଙ୍କୁ ୫ କେଜି ଲେଖା ଉନ୍ନତ ମାନର ଧାନ ବିହନ ଡି ଆର ଆର ୪୮ ପରୀକ୍ଷା ଆଧାରିତ ସାର ପ୍ରୟୋଗ ଉପରେ ତାଲିମ ଦିଆଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ପ୍ରଦିପ୍ତ ଖୋଟଇ, ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଏନଏସି ଉପାଧ୍ୟକ୍ଷ ସନ୍ତୋଷ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

0 Comments