ଗୋପ : 'ଲକ୍ଷ୍ମୀ ପୁରାଣ କରିଡର' ଅଧୀନରେ 'ଲକ୍ଷ୍ମୀ ପୁରାଣ'ର ରଚୟିତା ବଳରାମ ଦାସଙ୍କ ଗାଦି ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ମା' ଲକ୍ଷ୍ମୀଙ୍କ ମନ୍ଦିରର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି କାର୍ଯ୍ୟକ୍ରମର ପ୍ରଥମ ଭାଗରେ ଗୋପ ବ୍ଲକ୍ର ସମସ୍ତ ପଞ୍ଚାୟତର ଶ୍ରଦ୍ଧାଳୁମାନେ ନିଜ ନିଜ ଅଗଣାର ପବିତ୍ର ମାଟି ଶୋଭାଯାତ୍ରାରେ ନେଇ ଭୂମି ପୂଜନ ସ୍ଥଳକୁ ଆସିଥିଲେ । ଏହାପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପର୍ଯ୍ୟଟନ ବିଭାଗର ଅଧିକାରୀଗଣ ଏବଂ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଭୂମି ପୂଜନ କାର୍ଯ୍ୟ କରାଯାଇଥିଲା । ଏହାପରେପଞ୍ଚସଖା ଯୁଗର ମହାନ ସାଧକ ତଥା ସିଦ୍ଧ ପୁରୁଷ ବଳରାମ ଦାସଙ୍କ ଗାଦି (ଲକ୍ଷ୍ମୀ ପୁରାଣ କରିଡର) ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ପ୍ରସିଦ୍ଧ ଶିଳ୍ପୀ ପଦ୍ମଶ୍ରୀ ପ୍ରଭାକର ମହାରଣା ମା' ଲକ୍ଷ୍ମୀଙ୍କ ମନ୍ଦିରର ନିର୍ମାଣର ଦାୟିତ୍ୱ ନେଇଥିବାବେଳେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ।
କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, "ଲକ୍ଷ୍ମୀ ପୁରାଣ ଜରିଆରେ ସମଗ୍ର ବିଶ୍ୱକୁ ମହିଳା ସଶକ୍ତିକରଣର ବାର୍ତ୍ତା ଦେଇଥିବା ଗୋପ ଅଞ୍ଚଳରେ 'ଲକ୍ଷ୍ମୀ ପୁରାଣ କରିଡର' ପାଇଁ ଶିଳାନ୍ୟାସ ହୋଇଥିବାରୁ ଆଜିର ଦିନ ଏକ ଐତିହାସିକ ଦିନ । ମହାପୁରୁଷ ବଳରାମ ଦାସଙ୍କ ଗାଦି ଏବଂ ମା' ଲକ୍ଷ୍ମୀଙ୍କ ମନ୍ଦିରର ନିର୍ମାଣ ହେବା ଫଳରେ, ଏହା 'ଲକ୍ଷ୍ମୀ ପୁରାଣ' ରଚୟିତା ସିଦ୍ଧ ପୁରୁଷ ଭକ୍ତ ବଳରାମ ଦାସଙ୍କ ମହାନ ଗାଥାର ପ୍ରଚାରରେ ବଡ଼ ଭୂମିକା ନେବ । 'ଲକ୍ଷ୍ମୀ ପୁରାଣ କରିଡର' ଏହି ଅଞ୍ଚଳକୁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳର ପରିଚୟ ଦେବ।"
ଏହି କାର୍ଯ୍ୟକ୍ରମରେ ପିପିଲିର ମାନ୍ୟବର ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ଗୋପ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଶ୍ରୀ ବନରଞ୍ଜନ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପ୍ରମୋଦ କୁମାର ରାୟ, ଜଗତସିଂହପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁଶାନ୍ତ କୁମାର ସ୍ୱାଇଁ, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସୁନିଲ କୁମାର ବେହେରା, ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ସୂର୍ଯ୍ୟ ଶଙ୍କର ଦାଶ, ଶିଳ୍ପୀ ପଦ୍ମଶ୍ରୀ ପ୍ରଭାକର ମହାରଣା ଏବଂ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁମାନେ ଉପସ୍ଥିତ ଥିଲେ ।



0 Comments