ଭୁବନେଶ୍ୱର,୦୨/୦୧ : ନୂଆ ମୁଖ୍ୟ ଶାସନ ସଚିବଙ୍କ ନୂଆ ଟିମ୍ । ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେବା ପରେ ପ୍ରଥମ ବଡ଼ IAS ଅଦଳବଦଳ ହୋଇଛି । ନୂଆ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଗଠନ ହୋଇଛି ନୂଆ ଟିମ୍ । ତେବେ ଅଦଳବଦଳ ପଛରେ ରହିଛି ୫ଟି ମୁଖ୍ୟ କାରଣ । ପ୍ରଥମଟି ହେଉଛ ଶୀର୍ଷ ସ୍ତରରେ ଅଭିଜ୍ଞତାକୁ ଗୁରୁତ୍ୱ । ଅନୁ ଗର୍ଗ ମୁଖ୍ୟ ଶାସନ ସଚିବ ହେବା ପରେ ଉନ୍ନୟନ କମିଶନର ପଦବୀ ଖାଲି ପଡ଼ିଥିଲା । ସେହି ସ୍ଥାନରେ ୧୯୯୩ ବ୍ୟାଚର ଅଭିଜ୍ଞ ଆଇଏଏସ୍ ଅଫିସର ଦେଓରଞ୍ଜନ କୁମାର ସିଂଙ୍କୁ ନିଯୁକ୍ତି ଦିଆଯାଇଛି । ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ରାଜ୍ୟର ବିଭିନ୍ନ ଯୋଜନାଗୁଡ଼ିକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିବ।
ଦ୍ବିତୀୟଟି ଶୀଘ୍ର ନିଷ୍ପତ୍ତି ପାଇଁ ବିଭାଗୀୟ ସମନ୍ୱୟ । ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଜଣେ ଅଫିସରଙ୍କ ଅଧୀନରେ ରଖାଯାଇଛି। ଉଦାହରଣ ସ୍ୱରୂପ, ହେମନ୍ତ ଶର୍ମାଙ୍କୁ ଗୃହ ବିଭାଗ ସହିତ ଶିଳ୍ପ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏହାଦ୍ୱାରା ରାଜ୍ୟର ସୁରକ୍ଷା ଏବଂ ଶିଳ୍ପାୟନ ମଧ୍ୟରେ ଉତ୍ତମ ସମନ୍ୱୟ ରହିବ ଏବଂ ନିଷ୍ପତ୍ତି ନେବାରେ ବିଳମ୍ବ ହେବ ନାହିଁ । ତୃତୀୟ କାରଣ ହେଉଛି ପରିବେଶ ଓ ସାମାଜିକ ବିକାଶ ଉପରେ ଜୋର୍ । ବିଭିନ୍ନ ପରସ୍ପର ସହ ଜଡ଼ିତ ବିଭାଗଗୁଡ଼ିକୁ ଏକାଠି କରାଯାଇଛି। ଶୁଭା ଶର୍ମାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ସହିତ ଜଳ ସମ୍ପଦ ବିଭାଗର ଦାୟିତ୍ୱ ମିଳିଛି ।
ସେହିପରି ଭାସ୍କର ଜ୍ୟୋତି ଶର୍ମା ପରିବେଶ ଏବଂ ଅବକାରୀ ବିଭାଗ ବୁଝିବେ। ଏହାଦ୍ୱାରା ପରିବେଶ ସୁରକ୍ଷା ଏବଂ ସାମାଜିକ କଲ୍ୟାଣ ଯୋଜନାଗୁଡ଼ିକ ଅଧିକ ଫଳପ୍ରଦ ହେବ । ବିପର୍ଯ୍ୟୟ ପରିଚାଳନା ପାଇଁ 'ୟୁନିଫାଇଡ୍ କମାଣ୍ଡ' ହେଉଛି ଚତୁର୍ଥ ମୁଖ୍ୟ କାରଣ । ଓଡ଼ିଶା ପାଇଁ ବିପର୍ଯ୍ୟୟ ପରିଚାଳନା ସବୁବେଳେ ଏକ ବଡ଼ ଚ୍ୟାଲେଞ୍ଜ । ଏଥିପାଇଁ ରାଜେଶ ପ୍ରଭାକର ପାଟିଲଙ୍କୁ ଏକାସାଙ୍ଗରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ଓସଡମା (OSDMA) ର ମୁଖ୍ୟ କରାଯାଇଛି । ଏହାଦ୍ୱାରା ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜଣେ ଅଧିକାରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟ ଶୀଘ୍ର ହୋଇପାରିବ । ପଞ୍ଚମ କାରଣ ହେଉଛି ୫. ଜିଲ୍ଲା ସ୍ତରରେ ପ୍ରଶାସନିକ ସଂସ୍କାର । ଜିଲ୍ଲାସ୍ତରରେ ଶାସନକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ମଧୁମିତା ରଥଙ୍କୁ ନୟାଗଡ଼ ଏବଂ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଗଜପତି ଜିଲ୍ଲାର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।

0 Comments