ଚାନ୍ଦବାଲି,୨୪/୧୨: ଭଦ୍ରକ ଜିଲ୍ଲା ଚାନ୍ଦବାଲି ସହରରେ ଆଜି ଲଜ୍ଜାକର ଘଟଣା ଘଟିଛି। ଜଣେ ୧୦ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ସଂଧ୍ୟାରେ ଉଲଗ୍ନ ଅବସ୍ଥାରେ ମୃତଦେହ ଉଦ୍ଧାର ହେବା ପରେ ଚାନ୍ଦବାଲି ସହରରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ସୂଚନା ମୁତାବକ, ଚାନ୍ଦବାଲି ଅଞ୍ଚଳର ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ଜଣେ ୧୦ ବର୍ଷର ନାବାଳିକା ଅପରାହ୍ଣ ପ୍ରାୟ ୨ଟା ବେଳେ ଘରୁ ବାହାରକୁ ଯାଇ ଆଉ ଫେରି ନଥିଲା। ସଂଧ୍ୟା ହେବାରୁ ପରିବାର ଲୋକେ ଖୋଜାଖୋଜି କରି ପାଇନଥିଲେ। ତେବେ ଛାତ୍ରୀଙ୍କ ମୃତଦେହ ସହର ଉପକଣ୍ଠ ବାଲିଗାଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ନିଛାଟିଆ ସ୍ଥାନରେ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ। ସଂପୃକ୍ତ ନାବାଳିକାଙ୍କୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରିବା ପରେ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
ଏହି ଘଟଣା ପ୍ରଚାର ହେବା ପରେ ଆଖପାଖ ଅଞ୍ଚଳର ହଜାରହଜାର ସଂଖ୍ୟାରେ ଲୋକ ସେଠାରେ ରୁଣ୍ଡ ହୋଇ ଭଦ୍ରକ-ଚାନ୍ଦବାଲି ମୁଖ୍ୟରାସ୍ତାକୁ ବାଲିଗାଁଠାରେ ଅବରୋଧ କରି ରଖିଛନ୍ତି। ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ ଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଛି। ଖବର ପାଇ ଧାମନଗର ଏସ୍ଡିପିଓ ତ୍ରିଲୋଚନ ସେଠୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଲୋକେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଅଡ଼ି ବସିଛନ୍ତି। ଭଦ୍ରକ ଏସ୍ପି ମନୋଜ କୁମାର ରାଉତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରବାକୁ ଉଦ୍ୟମ ଜାରି ରଖିଛନ୍ତି। ଖବର ଲେଖା ହେବା ବେଳକୁ ଉତ୍ତେଜନା ଲାଗି ରହିଥିବା ବେଳେ ରାସ୍ତାରୋକ ହଟି ନଥିଲା।

0 Comments