ଭୁବନେଶ୍ୱର,୩୧/୧୨: କଣ୍ଠଶିଳ୍ପୀ ଅଭିଜିତ୍ ମଜୁମଦାର ଖୁବ୍ ଶିଘ୍ର ଡିସଚାର୍ଜ ହେବେ । ଏହି ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ପ୍ରୋଫେସର ଆଶୁତୋଷ ବିଶ୍ଵାସ । ବିପଦ ମୁକ୍ତ ଅଛନ୍ତି ଅଭିଜିତ ତାଙ୍କୁ ମେଡ଼ିକାଲରୁ ଘରକୁ ନେବା ପାଇଁ ଯୋଜନା କରାଯାଉଛି । କ୍ରୋନିକ ଷ୍ଟେଜ ଥିଲା ତାହା ଏବେ ଆଉ ନାହିଁ । ଗୋଟିଏରୁ ୨ ଦିନ ଭିତରେ ଡିସର୍ଚାଜ ହେବେ । ଧୀରେ ଧୀରେ ଠିକ୍ ହେଉଛନ୍ତି ଦାଦା । ବର୍ତ୍ତମାନ ସମୟରେ ତାଙ୍କର ଶରୀରର ସବୁ ଅଂଙ୍ଗ କାର୍ଯ୍ୟ କରୁଛି । ସେ ଧିରେ ଧିରେ ସମସ୍ତ କଥା ଗ୍ରହଣ ମଧ୍ୟ କରୁଛନ୍ତି ବୋଲି ସୂଚନା ମିଳିଛି ।
ତେବେ ଏହା ପୂର୍ବରୁ ୨୩ ଅକ୍ଟୋବରରେ ଅଭିଜିତଙ୍କ କରାଯାଇଥିବା MRI ବ୍ରେନ୍ ସ୍କାନ୍ରେ ମଧ୍ୟ କୌଣସି ସ୍ପଷ୍ଟ ସୁଧାର ଦେଖିବାକୁ ମିଳିନଥିଲା । ଅଭିଜିତ୍ଙ୍କ ସ୍ନାୟୁଜନିତ ସମସ୍ୟାରେ ମଧ୍ୟ କୌଣସି ସୁଧାର ଆସୁନଥିବା ଏମ୍ସ ପକ୍ଷରୁ କୁହାଯାଇଥିଲା । ଡାକ୍ତରମାନେ ଅଭିଜିତଙ୍କୁ ଭେଣ୍ଟିଲେଟର ସହାୟତାଠାରୁ କ୍ରମେ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ।
ସୂଚନା ଅନୁସାରେ ଅଭିଜିତ୍ ମଜୁମଦାରଙ୍କ ଶରୀରରେ ସୋଡିୟମ ଲେବୁଲ କମିଯିବାରୁ ତାଙ୍କୁ କିଛି ଦିନ ତଳେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାୟ ଏକ ସପ୍ତାହ ଧରି ତାଙ୍କ ଚିକିତ୍ସା ଜାରି ରହିଥିଲା । କିନ୍ତୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତ ସେପ୍ଟେମ୍ବର ୪ ତାରିଖରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରୁଛନ୍ତି ।
ତେବେ କିଛି ଦିନ ଏମ୍ସରେ ଚିକିତ୍ସା ହେବା ପରେ ଧୀରେ ଧୀରେ ସୁସ୍ଥ ହୋଇଥିଲେ ଦାଦା । ଦୁର୍ଗାପୂଜା ପୂର୍ବରୁ ଭେଣ୍ଟିଲେଟରରରୁ ବାହାରି ଆଇସିୟୁ ବେଡ୍ରେ ଦାଦାଙ୍କ ଚିକିତ୍ସା ଚାଲିଥିଲା । କିନ୍ତୁ ଏହାର କିଛି ଦିନ ପରେ ପୁଣି ଦାଦାଙ୍କ ସ୍ଵାସ୍ଥ୍ୟବସ୍ଥାରେ ଅବନତି ଦେଖିବାକୁ ମିଳିଥିଲା । ପରେ ପୁଣି ଥରେ ଅଭିଜିତ୍ଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା । ଆଉ ଏବେ ଏମ୍ସ ପକ୍ଷରୁ କୁହାଯାଇଛି ଯେ ଅଭିଜିତ୍ ମଜୁମଦାରଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ଆସିଛି ।
ଓଡ଼ିଆ ମନୋରଞ୍ଜନ ଦୁନିଆର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ହେଉଛନ୍ତି ଅଭିଜିତ ମଜୁମଦାର । ଓଡ଼ିଆ ଆଧୁନିକ ଆଲବମ୍, ଭଜନ, ସମ୍ବଲପୁରୀ ଆଲବମ୍ ଓ ଓଡ଼ିଆ ଧାରାବାହିକରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଅନେକ ଗୀତ ନିଜେ ସେ ଗାଇଛନ୍ତି ମଧ୍ୟ । ଅଭିଜିତ ମଜୁମଦାର ପ୍ରଥମେ ସମ୍ବଲପୁରୀ ଗୀତରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ ଓଡ଼ିଆ ଚଳଚ୍ଚିତ୍ର, ଆଲବମ୍ ଏବଂ ସମ୍ବଲପୁରୀ ଇଣ୍ଡଷ୍ଟ୍ରି ପାଇଁ ୭୦୦ରୁ ଅଧିକ ଗୀତ ନିର୍ମାଣ କରିଛନ୍ତି ।

0 Comments