ଆଦିଲ୍ଲୀ,୨୩/୧୨; ବଡ଼ଦିନ ବା ଖ୍ରୀଷ୍ଟମାସ ପୂର୍ବରୁ ବଡ଼ ନିଷ୍ପତ୍ତି ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ବିଶ୍ୱ ବିଜେତା ମହିଳା କ୍ରିକେଟରଙ୍କୁ ଭେଟି ଦେଇଛି । ବିଶ୍ୱର ସବୁଠାରୁ ବିତ୍ତଶାଳୀ କ୍ରିକେଟ ବୋର୍ଡ ବା ବିସିସିଆଇ ତାର ମହିଳା କ୍ରିକେଟରଙ୍କ ମ୍ୟାଚ୍ ପାଉଣାରେ ବୃଦ୍ଧି କରିଛି । ସୋମବାର ଅନୁଷ୍ଠିତ ଆପେକ୍ସ କାଉନସିଲ୍ ବୈଠକରେ ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ମହିଳା ଖେଳାଳିଙ୍କ ମ୍ୟାଚ ପାଉଣାକୁ ଅଢେଇ ଗୁଣା ବୃଦ୍ଧ କରିବାକୁ ନିଷ୍ପତ୍ତି ନେଇଛି ।
ବର୍ତ୍ତମାନ ଘରୋଇ ସିନିୟର ଦିନିକିଆ ଟୁର୍ଣ୍ଣାମେଣ୍ଟରେ ଖେଳାଳିମାନେ ଦୈନିକ ୫୦ ହଜାର ଟଙ୍କା ପାଉଣା ପାଇବେ । ପୂର୍ବରୁ ଏହା ୨୦ ହଜାର ଟଙ୍କା ରହିଥିଲା । ଏହି ଦର ପ୍ଲେଇଙ୍ଗ୍ ଇଲେଭେନରେ ସାମିଲ ଖେଳାଳିଙ୍କ ପାଇଁ ଲାଗୁ ହେବ । ରିଜର୍ଭ ଖେଳାଳିଙ୍କୁ ବି ଏହାର ଫାଇଦା ମିଳିବ । ସେହିଭଳି ଦିନିକିଆ ଟୁର୍ଣ୍ଣାମେଣ୍ଟରେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ନଥିବା ଖେଳାଳିଙ୍କୁ ଏହାର ଅଧା ଅର୍ଥାତ୍ ୨୫ ହଜାର ଟଙ୍କା ମିଳିବ । ପୂର୍ବରୁ ରିଜର୍ଭ ଖେଳାଳିଙ୍କୁ ଦୈନିକ ୧୦ ହଜାର ଟଙ୍କା ମ୍ୟାଚ ପାଉଣା ଦିଆଯାଉଥିଲା । ମହିଳା କ୍ରିକେଟରଙ୍କ ମ୍ୟାଚ ଫିସ୍ ଶେଷ ଥର ପାଇଁ ୨୦୨୧ରେ ସଂଶୋଧନ କରାଯାଇଥିଲା । ସେହି ସମୟରେ ସିନିୟର ଖେଳାଳିଙ୍କ ଫିସ୍ ୧୨ ହଜାର ୫୦୦ ଟଙ୍କାରୁ ବଢି ୨୦ ହଜାର ଟଙ୍କା ହୋଇଥିଲା । ଏହାପରେ ବର୍ତ୍ତମାନ ପାଉଣାରେ ବୃଦ୍ଧି ସବୁଠାରୁ ଅଧିକ । ଏବେ ଘରୋଇ କ୍ରିକେଟରେ ମହିଳା ଖେଳାଳିଙ୍କ ମ୍ୟାଚ ଫିସ୍ ପୁରୁଷ ଖେଳାଳିଙ୍କ ସହ ପ୍ରାୟ ସମାନ ହୋଇଛି ।
ପୁରୁଷଙ୍କୁ ମିଳୁଛି କେତେ ? ବିସିସିଆଇ ଘରୋଇ ସିନିଅର ପୁରୁଷ ଖେଳାଳିଙ୍କୁ ୩ଟି ବର୍ଗରେ ପାଉଣା ଦେଉଛି । ୪୦ରୁ ଅଧିକ ରଣଜୀ ଖେଳିଥିବା ଖେଳାଳିଙ୍କୁ ଦୈନିକ ୬୦ ହଜାର, ୨୧ରୁ ୪୦ଟି ରଣଜୀ ଖେଳିଥିବା ଖେଳାଳି ଦୈନିକ ୫୦ ହଜାର ଏବଂ ୨୦ରୁ କମ୍ ମ୍ୟାଚ ଖେଳିଥିବା କ୍ରିକେଟର ଦୈନିକ ୪୦ ହଜାର ଟଙ୍କା ପାଉଛନ୍ତି । ରିଜର୍ଭ ଖେଳାଳିଙ୍କୁ ଏହାର ଏହା ଅଧା ପାଉଣା ମିଳୁଛି ।

0 Comments